ବିକଳ୍ପ କୃଷିଳ ସନ୍ଧାନରେ କନ୍ଧମାଳ, ଆଶା ସଂଚାର କରିଛି କଳା ହଳଦୀ, ଗହମ,ଧାନ

କନ୍ଧମାଳ,୧୮l୪:ଜୈବିକ ଚାଷ ପାଇଁ ପ୍ରସିଦ୍ଧ କନ୍ଧମାଳ ଜିଲ୍ଲା। ଏଠିକାର ଜୈବିକ ହଳଦୀ, ଅଦା ସାଙ୍ଗକୁ ପନିପରିବା ସାରା ଦେଶରେ ନିଜର ଉତ୍କୃଷ୍ଟ ଗୁଣବତ୍ତା ଯୋଗୁଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। କନ୍ଧମାଳ ଜିଲ୍ଲାର ଭୌଗୋଳିକ ସ୍ଥିତି, ମୃତ୍ତିକାର ମାନ ଏବଂ ଜଳସେଚନର ସମସ୍ୟା ଯୋଗୁଁ ଏଠାରେ ଧାନ ଭଳି ପାରମ୍ପରିକ ଚାଷର ଉପଯୋଗୀତା ଖୁବ କମ ରହିଛି। ତେଣୁ ଜିଲ୍ଲାର ଚାଷୀ ସାଧାରଣତଃ ପନିପରିବା ଚାଷ ଉପରେ ଅଧିକ ଗୁରୁତ୍ଵ ଦେଇଥାଏ। ତେବେ ସଂରକ୍ଷଣ ଏବଂ ବଜାର ଜନିତ ସମସ୍ୟା ଯୋଗୁଁ ଚାଷୀ ଏଥିରୁ ଆଶାଜନକ ଲାଭ ପାଇ ନ ଥାଏ। ଅନେକ ସମୟରେ କ୍ଷତି ମଧ୍ୟ ହହିବାକୁ ପଡିଥାଏ। ଏହି ଦୃଷ୍ଟିକୋଣରୁ ଜିଲ୍ଲାରେ ଏବେ ବିଭିନ୍ନ ଅଣ ପାରମ୍ପରିକ ବିକଳ୍ପ କୃଷି ପାଇଁ ସମ୍ଭାବନାର ସନ୍ଧାନ କରାଯାଉଛି। ଗତ କିଛି ବର୍ଷ ମଧ୍ୟରେଏ ଦିଗରେ ନୂତନ ପ୍ରୟାସ ଆରମ୍ଭ କରାଯାଇଛି। ଧିରେ ଧିରେ ପାରମ୍ପରିକ କୃଷିର ସ୍ଥାନ ନେଉଛି ଷ୍ଟ୍ର ବେରୀ, ଡ୍ରାଗନ ଫ୍ରୁଟ,ବ୍ଲଙ ବେରୀ, ଲିଚ, ଗେଣ୍ଡୁଫୁଲ ଭଳି ବିକଳ୍ପ। ଜିଲ୍ଲାରେ ଜୈବିକ କୃଷିର ଅଗ୍ରଦୂତ ସାଜିଥିବା ସଂସ୍ଥା କସମ ପକ୍ଷରୁ ଏ ନେଇ ଉଦ୍ୟମ ଜାରୀ ରହିଛି। ତିନୋଟି ବିକଳ୍ପ ତଥା ଅର୍ଥକରୀ ଫସଲର ଉତ୍ପାଦନ ପାଇଁ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏଥି ମଧ୍ୟରେ ରହିଛି କଳା ଧାନ, କଳା ହଳଦୀ ଓ କଳା ଗହମ। ଏମିତିରେ ତ କନ୍ଧମାଳ ହଳଦୀ ସମ୍ପର୍କରେ କେହି ଅଜଣା ନୁହନ୍ତି। ନିଜର ଗୁଣବତ୍ତା ପାଇଁ ବିଶ୍ବ ସ୍ତରରେ ନାଁ କମାଇବା ସହିତ ଜିଆଇ ଟ୍ୟାଗ ହାସଲ କରିଛି କନ୍ଧମାଳ ହଳଦୀ। କିନ୍ତୁ ଏଠାରେ ଏବେ ହଳଦୀର ଏକ ସ୍ବତନ୍ତ୍ର ପ୍ରଜାତି କଳା ହଳଦୀ ଉତ୍ପାଦନ କରି ଲାଭବାନ ହେଉଛନ୍ତି ଚାଷୀ। କସମ ସମ୍ପାଦକ ସଞ୍ଜିତ ପଟ୍ଟନାୟକଙ୍କ ସୂଚନା ଅନୁସାରେ ୨୦୦୬ ମସିହାରେ ଏହି ହଳଦୀର ବିହନ କେରଳ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇ ଦିଆ ଯାଇଥିଲା। ତେବେ କିଛି ବର୍ଷ ଚାଷୀ ମାନେ ଏହାର ଚାଷ କରିବା ପରେ ବିଭିନ୍ନ କାରଣରୁ ଏହା ବନ୍ଦ ରହିଥିଲା। ଏବେ ପୁଣି ନୂତନ ଭାବେ ଆରମ୍ଭ ହୋଇଛି କଳା ହଳଦୀ ଚାଷ। ଅଳ୍ପ ସଂଖ୍ୟାରେ ହେଲେ ବି ଜିଲ୍ଲାର ସମସ୍ତ ବ୍ଲକରେ ହେଉଛି ଚାଷ। ବାର୍ଷିକ ପ୍ରାୟ ୪ କ୍ବିଣ୍ଟାଲ ହଳଦୀ ଉତ୍ପାଦିତ ହେଉଛି। ସାଧାରଣ ହଳଦୀ ଭଳି ଏହା ଜାନୁଆରୀ- ଫେବୃଆରୀ ମାସରେ ଲଗାଯାଇ ଜୁଲାଇ-ଅଗଷ୍ଟ ବେଳକୁ ଅମଳ କରାଯାଇଥାଏ। କମ ପରିମାଣର ଅମଳ ହେଉ ଥିବାରୁ ଏବଂ ପ୍ରଚୁର ଔଷଧୀୟ ଗୁଣ ଯୋଗୁଁ ଏହାର ବିକ୍ରୀରେ କୌଣସି ସମସ୍ୟା ହୁଏନାହିଁ। ସାଧାରଣତଃ ଔଷଧ କମ୍ପାନୀ ମାନେ ଏହା ଚାଷୀଙ୍କ ଠାରୁ କିଣି ନେଇ ଥାଆନ୍ତି। ଏବେ ଏହାର ବଜାର ଦର ୧୫୦ରୁ ୨୦୦ ଟଙ୍କା ମଧ୍ୟରେ ରହିଛି। କସମ ପକ୍ଷରୁ ଚାଷୀ ମାନଙ୍କୁ ବିହନ ସହିତ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆ ଯାଉଛି।କର୍କଟ, ରକ୍ତଚାପ ଏବଂ ବିଭିନ୍ନ ଚର୍ମରୋଗର ନିରାକରଣ ପାଇଁ ଏହା ଏକ ଅବ୍ୟର୍ଥ ଔଷଧ ବୋଲି କୁହାଯାଏ। ଆଗାମୀ ଦିନରେ ଏହି ଚାଷକୁ ଅଧିକ ବ୍ୟାପକ କରାଯିବ ବୋଲି କହିଛନ୍ତି କସମ ସମ୍ପାଦକ ଶ୍ରୀ ପଟ୍ଟନାୟକ।ଜୈବିକ କୃଷିରେ ଅନ୍ୟତମ ନୂତନ ପ୍ରୟୋଗ ହେଉଛି କଳା ଗହମ। ରାଜ୍ୟରେ କନ୍ଧମାଳ ଜିଲ୍ଲାରେ ପ୍ରଥମ କରି ଏହି ପ୍ରୟୋଗ ଆରମ୍ଭ ହୋଇଛି। ଗତ ଖରିଫ ଋତୁରେ ପରୀକ୍ଷା ମୂଳକ ଭାବେ ଚାଷୀଙ୍କୁ ୧୩ କିଲୋ ବିହନ ଯୋଗାଇ ଦିଆଯାଇଥିଲା। ପଞ୍ଜାବରୁ ଆସିଥିବା ଏହି ବିହନରେ ଫିରିଙ୍ଗିଆ ବ୍ଲକର କିଛି ଚାଷୀ ଆରମ୍ଭ କରିଥିଲେ କଳା ଗହମ ଚାଷ। ସେପ୍ଟେମ୍ବର ମାସରେ ବିହନ ରୋପଣ କରାଯାଇ ଫେବୃଆରୀ ମାସରେ ଅମଳ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସୀମିତ ପରିମାଣରେ ଚାଷ କରାଯାଇଛି। ପରୀକ୍ଷଣ ସଫଳ ହେଲେ ଆଗାମୀ ଖରିଫ ଋତୁରେ ପ୍ରାୟ ଏକ କ୍ବିଣ୍ଟାଲ ବିହନ ଯୋଗାଇ ଦେବା ପାଇଁଲକ୍ଷ୍ୟ ରହିଥିବା ସୂଚନା ଦେଇଛନ୍ତି କସମ ସମ୍ପାଦକ ଶ୍ରୀ ପଟ୍ଟନାୟକ। କନ୍ଧମାଳ ଜିଲ୍ଲାର ମାଳଭୂମି, ସ୍ବଳ୍ପ ବୃଷ୍ଟିପାତ ଓ ଢାଲୁ ଜମି ଏହି ଚାଷ ପାଇଁ ଅନୁକୂଳ ବୋଲି କହନ୍ତି କୃଷି ବିଶାରଦ। କଳା ଗହମର ଔଷଧୀୟ ଗୁଣ ଯୋଗୁଁ ଏହାର ବେଶ ଚାହିଦା ରହିଛି। ଉଚ୍ଚ ରକ୍ତଚାପ, ମଧୂମେହର ନିୟନ୍ତ୍ରଣ ପାଇଁ ଏହା ଅମୋଘ ଅସ୍ତ୍ର ବୋଲି କୁହାଯାଏ। ଏଥିରୁ ପ୍ରସ୍ତୁତ ଅଟା ଗ୍ଲୁଟନ ମୁକ୍ତ ହୋଇ ଥିବାରୁ ମଧୂମେହ ରୋଗୀଙ୍କ ପାଇଁ ଅତି ଉପଯୋଗୀ। ଏଥିରୁ ପ୍ରସ୍ତୁତ ଦଲିଆ ମଧ୍ୟ ଏବେ ବଜାରରେ ଉପଲବ୍ଧ ହେଉଛି।ଏବେ କିଲୋ ପ୍ରତି ପ୍ରାୟ ଏକ ଶହ ଟଙ୍କାରେ ବିକ୍ରୀ ହେଉଛି କଳା ଗହମ। ରାଜ୍ୟର ଏକମାତ୍ର ଜିଲ୍ଲା କନ୍ଧମାଳରେ ଏହି ଚାଷ କରାଯାଉଛି। ଆଗକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଗଲେ ଜିଲ୍ଲାର ଚାଷୀ ନିଶ୍ଚିତ ଉପକୃତ ହେବେ ବୋଲି ଆଶା କରାଯାଉଛି।କଳାବତୀ ନାମରେ ଖ୍ୟାତ କନ୍ଧମାଳ ଜିଲ୍ଲାର କଳା ଧାନ ଜିଲ୍ଲା ପାଇଁ ଅନ୍ୟ ଏକ ପରିଚୟ ସୃଷ୍ଟି କରିଛି। ଉପରୁ ଏହା ସାଧାରଣ ଧାନ ଭଳି ଦେଖା ଯାଉଥିଲେ ବି ଭିତରର ଚାଉଳର ରଙ୍ଗ ସମ୍ପୂର୍ଣ୍ଣ କଳା। ଏଥିରେ ମଧ୍ୟ ରହିଛି କ୍ୟାନସର, ରକ୍ତଚାପ ନିୟନ୍ତ୍ରଣ କରିବାର କ୍ଷମତା। କସମର ପ୍ରୟାସରେ ୨୦୧୮ ମସିହାରେ ମାତ୍ର ୫ କିଲୋ ବିହନରେ ଫିରିଙ୍ଗିଆ, ଚକାପାଦ, ଖଜୁରୀପଡା, ରାଇକିଆ ଅଞ୍ଚଳରେ ପ୍ରୟୋଗାତ୍ମକ ଭାବେ ଏହି ଚାଷ ଆରମ୍ଭ କରାଯାଇଥିଲା। ପ୍ରଥମ ବର୍ଷ ମାତ୍ର ୪୦ରୁ ୫୦ କିଲୋ ଅମଳ ହୋଇଥିବା ବେଳେ ବର୍ତ୍ତମାନ ଏହା ପ୍ରାୟ ୫୦୦ କ୍ବିଣ୍ଟାଲରେ ପହଞ୍ଚିଛି। ଏହି ଧାନର ବିଶେଷତ୍ବ ହେଲା ଏହା ବର୍ଷକୁ ତିନି ଥର ଚାଷ ହୋଇ ପାରୁଛି। କନ୍ଧମାଳ ଜିଲ୍ଲାର ଢାଲୁଆ ଜମି ଓ ପାଣିପାଗ କଳାଧନ ଚାଷ ପାଇଁ ଅନୁକୂଳ ହୋଇ ଥିବାରୁ ଏଠାରେ ଏହି ଚାଷ ପାଇଁ ଯଥେଷ୍ଟ ସମ୍ଭାବନା ଥିବା କୃଷି ବିଶାରଦ କହନ୍ତି। ଚାଷୀ ମାନଙ୍କ ଠାରୁ ଚାଉଳ ସଂଗ୍ରହ କରି କସମ ବଜାରରେ କିଲୋ ପ୍ରତି ୧୪୦ ଟଙ୍କାରେ ବିକ୍ରୀ କରୁଛି। ତେବେ ଅନଲାଇନ ମାର୍କେଟରେ କିଲୋ ପ୍ରତି ୩୫୦ ଟଙ୍କାରେ ବିକ୍ରି କରୁଥିବା କହନ୍ତି କସମ ସମ୍ପାଦକ। ଏହି ଚାଉଳରେ ଶର୍କରା ପରିମାଣ ଅତି କମ ରହିଥିବାରୁ ଡାଏବେଟିସ ରୋଗୀଙ୍କ ପାଇଁ ଏହା ଅତି ଉପାଦେୟ। ଅପରପକ୍ଷେ, ବଜାରରେ ଏହାର ଚାହିଦା ଅଧିକ ରହିଥିଲେ ମଧ୍ୟ ସେ ଅନୁସାରେ ଉତ୍ପାଦନ କରି ପାରଙ ନାହାନ୍ତି ଚାଷୀ। ସରକାରୀ ପ୍ରୋତ୍ସାହନ ଓ ମାଗଣା ସାର ବିହନ, ସବସିଡି ମିଳିଲେ ଅଧିକ ସଂଖ୍ୟାରେ ଚାଷୀ ଏହାକୁ ଆପଣେଇ ନିଅନ୍ତେ ବୋଲି ମତ ପ୍ରକାଶ ପାଉଛି।
What's Your Reaction?






